ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ
September 24th, 05:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶରେ ଚିକିତ୍ସା ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାରେ ବ୍ୟାପକ ବିସ୍ତାର ପାଇଁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା (ସିଏସଏସ)ର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଏହାଦ୍ୱାରା ରାଜ୍ୟ ସରକାରୀ / କେନ୍ଦ୍ର ସରକାରୀ ମେଡିକାଲ କଲେଜ / ସ୍ୱତନ୍ତ୍ର ସ୍ନାତକୋତ୍ତର ଶିକ୍ଷାନୁଷ୍ଠାନ / ସରକାରୀ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ ଏବଂ ଉନ୍ନତ କରାଯିବ। ଯୋଜନାର କାର୍ଯ୍ୟକାରୀ ହେବା ଫଳରେ 5,000 ଅତିରିକ୍ତ ଚିକିତ୍ସା ସ୍ନାତକୋତ୍ତର ଆସନ ସଂଖ୍ୟା ବୃଦ୍ଧି କରାଯାଇପାରିବ। ସେହିପରି ବର୍ତ୍ତମାନର ସରକାରୀ ମେଡ଼ିକାଲ କଲେଜରେ ପ୍ରତି ଆସନ ପାଇଁ 1.50 କୋଟି ଟଙ୍କା ବର୍ଦ୍ଧିତ ମୂଲ୍ୟ ସୀମା ସହିତ 5,023 ଡାକ୍ତରୀ ସ୍ନାତକ ବା ଏମବିବିଏସ ଆସନ ବୃଦ୍ଧି କରାଯିବାକୁ ଏହି କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ସମ୍ପ୍ରସାରିତ କରାଯିବ। ଏହି ପଦକ୍ଷେପ ସ୍ନାତକ ଚିକିତ୍ସା କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ; ଅତିରିକ୍ତ ସ୍ନାତକୋତ୍ତର ଆସନ ସୃଷ୍ଟି କରି ବିଶେଷଜ୍ଞ ଡାକ୍ତରଙ୍କ ଉପଲବ୍ଧତା ବୃଦ୍ଧି କରିବ; ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ନୂତନ ଚିକିତ୍ସା ବିଶେଷଜ୍ଞତା ପ୍ରଚଳନକୁ ସହଜ କରିବ। ଏହା ଦେଶରେ ସାମଗ୍ରିକ ଭାବରେ ଡାକ୍ତରଙ୍କ ଉପଲବ୍ଧତାକୁ ବଢ଼ାଇବ।